ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ , ଅଦୃଶ୍ୟ ମହିଳା , ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ପୁଣି ଘର, ପୁଣି ଘର...
ସେ ପ୍ରକୃତରେ ରୋଷେଇ ସାରି ଦେଇଥିଲେ। ସେ ତାମିଲନାଡୁର ଏକ ପରିବାରର ସଦସ୍ୟ, ଯେଉଁମାନେ ତାଳରୁ ଗୁଡ଼ ତିଆରି କରନ୍ତି। ଏକ ବିରାଟ ପାତ୍ରରେ ଭର୍ତ୍ତି ହୋଇଥିବା ତାଳ ରସକୁ ସେ ଘାଣ୍ଟୁଥିଲେ। ଗୁଡ଼ ପ୍ରସ୍ତ ସାମାନ୍ୟ ତ୍ରୁଟି ହେଲେ ପରିବାରର ପରବର୍ତ୍ତି କିଛି ଦିନର ଆୟ ଚାଲିଯିବ।
ଏହି କାମ ତାଙ୍କୁ ଆଉ କିଛି ସମୟ ଲାଗିବ। ରୋଷେଇ ସାରି ଦେଇଛନ୍ତି। ସେ ଯାହା ବି କରନ୍ତି ସବୁ ଧୂଆଁ ଆଉ ନିଆଁରେ। ଦିନ ତମାମ ସେ ପ୍ରଶ୍ୱାସରେ ଧୂଆଁ ଗ୍ରହଣ କରନ୍ତି -ଏହା ତାଙ୍କର ନିୟମିତ କାର୍ଯ୍ୟ।
ଖୁବ କମ୍ ବୟସରୁ ତାଙ୍କ ଉପରେ ଏହି ଭାର ପଡ଼ିଛି। ସେ ଏବଂ ତାଙ୍କ ଭଳି ଲକ୍ଷ ଲକ୍ଷ ଝିଅ ଖୁବ୍ କମ୍ ବୟସରୁ ସ୍କୁଲ ଛାଡ଼ିଛନ୍ତି।
ଘରେ ତାଙ୍କର ଅନେକ କାମ। ମୁଣ୍ଡରେ ଝୁଡି ମୁଣ୍ଢେଇ ଯାଉଥିବା ଏହି ମହିଳା ଜଣଙ୍କ ଘର ଆନ୍ଧ୍ର ପ୍ରଦେଶ ବିଜୟନଗରମ ଅଞ୍ଚଳରେ (ନିମ୍ନରେ କେନ୍ଦ୍ର), ଘରେ ତାଙ୍କର ରୋଷେଇ କାମ ବାକି ଅଛି। ସେଥିପାଇଁ ସେ କେଇ ଘଣ୍ଟା ବୁଲିବୁଲି ଜାଳେଣି ସଂଗ୍ରହ କରିଛନ୍ତି। ସେହି ଗାଁର ତାଙ୍କ ପଡୋଶୀ ସେତେବେଳକୁ ରୋଷେଇ ଆରମ୍ଭ କରି ସାରିଥିଲେ - ଅପେକ୍ଷାକୃତ ଏକ ଖୋଲା ସ୍ଥାନରେ।
ପଡୋଶୀ ଜଣଙ୍କ ଭାଗ୍ୟବାନ ଥିଲେ। ଅଧିକାଂଶ ମହିଳା ଛୋଟିଆ ଏବଂ ଝରକା ନଥିବା ଜାଗାରେ ରୋଷେଇ କରନ୍ତି। ଏଥିପାଇଁ ସେମାନେ ପ୍ରଶ୍ୱାସରେ ବହୁ ପରିମାଣର ଧୂଆଁ ଗ୍ରହଣ କରନ୍ତି । ଏପରିକି ପ୍ରଦୂଷିତ କାରଖାନାରେ କାମ କରିବାଠାରୁ ଏହା ଅଧିକ ବିପଦପୂର୍ଣ୍ଣ।



ଏହା ହେଉଛି ସେ କରୁଥିବା ବହୁସଂଖ୍ୟକ ଖାଦ୍ୟ ପ୍ରସ୍ତୁତି କିମ୍ବା ପ୍ରକ୍ରିୟାକରଣ କାର୍ଯ୍ୟ ମଧ୍ୟରୁ ଅନ୍ୟତମ। ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକଳାପ ମୁଖ୍ୟତଃ ମହିଳାମାନେ ହିଁ କରିଥାନ୍ତି । ଏସବୁ କାମ ଏବଂ ପିଲାମାନଙ୍କୁ ବଢ଼ାଇବା ବ୍ୟତୀତ, ସେମାନେ ଗୋପାଳନ କାର୍ଯ୍ୟ ମଧ୍ୟ କରିବାକୁ ହୋଇଥାଏ।
ଅନ୍ୟ ନିୟମିତ କାମ ଭିତରେ ରହିଛି ଲୁଗା ସଫା କରିବା, ରଗଡ଼ିବା, ପରିବା କାଟିବା, ବାସନ ଧୋଇବା ଏବଂ ଭିନ୍ନଭିନ୍ନ ସମୟରେ ପରିବାରର ସଦସ୍ୟମାନଙ୍କୁ ଖୁଆଇବା। କେହି ସଂପର୍କୀୟ ଅସୁସ୍ଥ ହେଲେ, ତାଙ୍କ ଯତ୍ନନେବା ମଧ୍ୟ ମହିଳାଙ୍କ ଦୟିତ୍ଵ। ଏହି ସକୁ କାମ ‘ମହିଳାଙ୍କ କାର୍ଯ୍ୟ’ ବୋଲି ଧରାଯାଇଥାଏ - ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ଦିଆଯାଏ ନାହିଁ। ଏହି ଅର୍ଥରେ ଗ୍ରାମାଞ୍ଚଳ ମହିଳାମାନେ ସହରାଞ୍ଚଳ ମହିଳାଙ୍କଠାରୁ ପୃଥକ ନୁହନ୍ତି। କିନ୍ତୁ ପାଣି ଓ ଜାଳେଣି ପାଇଁ ଦୂରକୁ ଯିବା ଏବଂ କ୍ଷେତରେ କାମ କରିବା, ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ଅତିରିକ୍ତ କାର୍ଯ୍ୟଭାର।


ଝାଡ଼ଖଣ୍ଡ ପାଲାମୁରେ ଆଦିବାସୀଙ୍କ ଭଳି ରୋଷେଇ ପାଇଁ ଗେଟ୍ଟି ଚେର (ଉପରେ ଦିଆଯାଇଥିବା ତ୍ରିପଟ୍ଟର ଡାହାଣ କଡ଼ରେ) ସଂଗ୍ରହ କରନ୍ତି। ମରୁଡି ସମୟରେ ଏହା ମିଳବା ସହଜ ନୁହେଁ। ଏହି କାମ ପାଇଁ ସେ ସକାଳର ବହୁ ସମୟ ଜଙ୍ଗଲରେ କାଟିଛନ୍ତି। ପାଣି କାଢିବାରେ ସେ ଅନେକ ସମୟ ନଷ୍ଟ କରି ସାରିଛନ୍ତି। ସମ୍ଭବତଃ ତାଙ୍କୁ ଏହି କାମରେ ପୁଣି ଥରେ ଯିବାକୁ ହେବ। ଏସବୁ ନିୟମିତ କାର୍ଯ୍ୟରେ ସେ ହୁଏତ ବନ୍ୟ ଜନ୍ତୁଙ୍କ ସହ ଗାଁ ଚାରିପାଖରେ ଥିବା ବାଲୁମଠ ଜଙ୍ଗଲ ରାସ୍ତା ଅତିକ୍ରମ କରିଥିବେ।
ମହିଳାମାନେ ଶେଷରେ ଖାଆନ୍ତି ଏବଂ ବଳିଥିବା କମ୍ ଖାଦ୍ୟ ଖାଇଥାନ୍ତି। ବିଶ୍ରାମ ପାଇଁ ମଧ୍ୟ ସେମାନେ ଖୁବ୍ କମ୍ ସମୟ ପାଆନ୍ତି। ନିୟମିତ ଶକ୍ତି ଅପଚୟ ତାଙ୍କ ସ୍ୱାସ୍ଥ୍ୟହାନୀ ଘଟାଏ।


ଅନୁବାଦ: ଓଡ଼ିଶାଲାଇଭ୍