‘କାଲେ କାନୁନ୍ କୋ ୱାପସ୍ ଲୋ, ୱାପସ୍ ଲୋ, ୱାପସ୍ ଲୋ’ (‘କଳା ଆଇନ ଫେରାଇ ନିଅ, ଫେରାଇ ନିଅ, ଫେରାଇ ନିଅ!)। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦକ୍ଷିଣ ମୁମ୍ବାଇର ଆଜାଦ୍ ମୈଦାନରେ ଏହି ସ୍ଲୋଗାନ୍ ଗୁଞ୍ଜରିତ ହୋଇଥିଲା।
ସମ୍ୟୁକ୍ତ ଶେତକାରୀ କାମଗର ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଧାରଣାରେ ମୈଦାନରେ ଲକ୍ଷାଧିକ ଚାଷୀ ଏକତ୍ରିତ ହୋଇଛନ୍ତି। ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ମହାରାଷ୍ଟ୍ରର ୨୧ଟି ଜିଲ୍ଲାରୁ ନାସିକ ଠାରେ ଏକତ୍ରିତ ହେବା ପରେ ପାଖାପାଖି ୧୮୦ କିମି ଶୋଭାଯାତ୍ରା କରି ଏଠାରେ ଆସି ପହଞ୍ଚିଛନ୍ତି।
ଦୁଇ ମାସ ଧରି, ମୁଖ୍ୟତଃ ପଞ୍ଜାବ ଓ ହରିୟାଣାରୁ ଲକ୍ଷାଧିକ ଚାଷୀ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଆସୁଛନ୍ତି। ସେମାନେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରୁଛନ୍ତି, ଯାହାକୁ ପ୍ରଥମେ ଅଧ୍ୟାଦେଶ ଜରିଆରେ ଜୁନ ୫,୨୦୨୦ରେ ଆଗତ କରାଯାଇଥିଲା ଏବଂ ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ କୃଷି ବିଲ୍ ଆକାରରେ ଆଗତ କରାଯାଇଥିଲା। ଏହାପରେ ଅତ୍ୟନ୍ତ ତରବରିଆ ଭାବେ ସେହି ସେପ୍ଟେମ୍ବର ୨୦ ତାରିଖରେ ବିଲ୍ଗୁଡ଼ିକୁ ଆଇନରେ ପରିଣତ କରି ଦିଆଯାଇଥିଲା।
ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।
ଏଗୁଡ଼ିକ ହେଉଛି ଜାନୁଆରୀ ୨୪ ଓ ୨୫ ତାରିଖରେ ଆଜାଦ ମୈଦାନରେ ଅନୁଷ୍ଠିତ ଦୁଇ ଦିନିଆ ଧାରଣାର ଦୃଶ୍ୟ:

ଜାନୁଆରୀ ୨୪ ତାରିଖ ସକାଳେ ଚାଷୀମାନଙ୍କର ଏକ ଦଳ ଚାଲି ଚାଲି ଆସି ପହଞ୍ଚୁଛନ୍ତି, ପୂର୍ବରୁ ପହଞ୍ଚି ସାରିଥିବା ଅନ୍ୟମାନେ ଯାତ୍ରାଜନିତ କ୍ଳାନ୍ତି ମେଣ୍ଟାଉଛନ୍ତି

ଅରୁଣାବାଇ ସୋନାୱାନେ (ବାମ) ଏବଂ ଶଶିକଳା ଗାଏକୱାଡ଼ ଔରଙ୍ଗାବାଦ ଜିଲ୍ଲା କନ୍ନଡ଼ ବ୍ଲକର ଚିମ୍ନାପୁର ଗ୍ରାମର ଭିଲ ଆଦିବାସୀ ଚାଷୀ। ସେମାନେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଭୂମି ଅଧିକାର ଏବଂ ନିକଟରେ ଆସିଥିବା କୃଷି ଆଇନକୁ ବିରୋଧ କରି ସେମାନେ ଏଠାକୁ ଆସିଛନ୍ତି। “ଆମମାନଙ୍କ ଭଳି ଅଧିକ ଲୋକ ଆସିଲେ (ଆନ୍ଦୋଳନସ୍ଥଳୀକୁ) ଅଧିକ ଚାପ ବଢ଼ିବ”, ଅରୁଣାବାଇ କହିଥିଲେ। “ସେଥିପାଇଁ ଆମେ ଏଠାକୁ ଆସିଛୁ।”

ମୈଦାନରେ ସ୍ଲୋଗାନ୍ ଗୁଞ୍ଜିତ ହେଉଛି : ‘କାଲେ କାନୁନ୍ କୋ ୱାପସ୍ ଲୋ, ୱାପସ୍ ଲୋ, ୱାପସ୍ ଲୋ’ (‘କଳା ଆଇନ ଫେରାଇ ନିଅ, ଫେରାଇ ନିଅ, ଫେରାଇ ନିଅ!)।

ମହାରାଷ୍ଟ୍ରର ନାନ୍ଦେଡ଼, ନନ୍ଦୁରବର, ନାସିକ ଓ ପାଲଘର ଜିଲ୍ଲାରୁ କୃଷକମାନେ ଶେଭାଯାତ୍ରାରେ ଆସି ୨୪ ଜାନୁଆରୀ ରାତିରେ ଆଜାଦ ମୈଦାନରେ ପହଞ୍ଚିଛନ୍ତି, ନାସିକ ସହରରୁ ସେମାନଙ୍କୁ ନେଇ ଆସିଥିବା ଗାଡ଼ିଗୁଡ଼ିକ ପାର୍କିଂ ହୋଇଛି।

ମୁମ୍ବାଇରେ ଶୀତୁଆ ସନ୍ଧ୍ୟାରେ ତାପମାତ୍ରା ହ୍ରାସ ପାଉଥିବା କାରଣରୁ ନାସିକ ଜିଲ୍ଲାର ଚନ୍ଦୱାଡ଼ ତହସିଲ ଅନ୍ତର୍ଗତ ଧୋଡ଼ମ୍ବେ ଗ୍ରାମରୁ ମଥୁରାବାଇ ସମ୍ପତଗୋଢ଼େ (ବାମ), ୭୦, ଏବଂ ଦଙ୍ଗୁବାଇ ଶଙ୍କର ଆମ୍ବେକର, ୬୫, ରାତି ପାଇଁ ଘୋଡ଼େଇ ହେଉଛନ୍ତି।

ଦଶ ବର୍ଷ ବୟସ୍କର ଅନୁଷ୍କା ହଡ଼କେ (ନୀଳ ଚଦରରେ) ଶୀତରେ ଥରୁଛନ୍ତି। ସେ ପାଲଘର ଜିଲ୍ଲାର ଖାରିଭଲି ତର୍ଫ କୋହୋଜ ଗ୍ରାମରୁ ତାଙ୍କ ଜେଜେମା, ମନୀଷା ଧାନୱା (ହଳଦିଆ ଶାଢ଼ୀରେ)ଙ୍କ ସହିତ ଆସିଛନ୍ତି, ଯାହାଙ୍କୁ ପାଖାପାଖି ବର୍ଷ ବୟସ ହେବ।

ପାଲଘର ଜିଲ୍ଲାରୁ ଆସିଥିବା ଚାଷୀମାନେ ଚାଉଳ ଅଟାରେ ପ୍ରସ୍ତୁତ ଭାକ୍ରି ନିଜ ସହିତ ଆଣିଛନ୍ତି

ଜାନୁଆରୀ ୨୪ରେ ଏକ ଲମ୍ବା ଦିନ ପରେ, କେତେଜଣ ଶୋଇପଡ଼ିଥିବା ବେଳେ ଆଉ କେତେଜଣ ଉତ୍ସାହର ସହିତ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସ୍ଲୋଗାନ୍ ଦେବା ଜାରି ରଖିଛନ୍ତି

ନାସିକ ଜିଲ୍ଲାର ଡିଣ୍ଡୋରି ତାଲୁକା ଅନ୍ତର୍ଗତ ସଙ୍ଗମନେର ଗ୍ରାମରୁ ଆସିଥିବା ଚାଷୀମାନଙ୍କର ଏକ ଦଳ ମଞ୍ଚରେ ଜାରି ରହିଥିବା ପ୍ରଦର୍ଶନକୁ ଦେଖୁଛନ୍ତି।

ନାସିକର ଗଙ୍ଗମଲୁଙ୍ଗି ଗ୍ରାମର ଲକ୍ଷ୍ମଣ ପୁଲ୍ହା ପାସାଡେ, ୬୫, ପ୍ରଦର୍ଶନକାରୀଙ୍କ ସହିତ ଯୋଗ ଦେଇ ନୃତ୍ୟ କରୁଛନ୍ତି

ଦକ୍ଷିଣ ମୁମ୍ବାଇରେ ଥିବା ରାଜ୍ୟପାଳଙ୍କ ବାସଭବନ, ରାଜଭବନ ଅଭିମୁଖେ ପ୍ରସ୍ତାବିତ ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ଜାନୁଆରୀ ୨୫ ଅପରାହ୍ଣରେ ଚାଷୀମାନେ ବସି ଭାଷଣ ଶୁଣୁଛନ୍ତି।

ଜାନୁଆରୀ ୨୫ ତାରିଖରେ ଦକ୍ଷିଣ ମୁମ୍ବାଇରେ ଥିବା ରାଜ୍ୟପାଳଙ୍କ ବାସଭବନ, ରାଜଭବନ ଅଭିମୁଖେ ପ୍ରସ୍ତାବିତ ଶୋଭାଯାତ୍ରା ଆଜାଦ ମୈଦାନରୁ ଆରମ୍ଭ ହେଉଛି। (ପରବର୍ତ୍ତୀ ସମୟରେ ଏହି ଶୋଭାଯାତ୍ରାକୁ ବାତିଲ କରାଯାଇଥିଲା କାରଣ ସହରାଞ୍ଚଳ ପ୍ରଶାସନ ଏଥିପାଇଁ ଅନୁମତି ଦେଇନଥିଲା।

ଜାନୁଆରୀ ୨୫ ତାରିଖରେ ଦକ୍ଷିଣ ମୁମ୍ବାଇରେ ଥିବା ରାଜ୍ୟପାଳଙ୍କ ବାସଭବନ, ରାଜଭବନ ଅଭିମୁଖେ ପ୍ରସ୍ତାବିତ ଶୋଭଯାତ୍ରା ଆଜାଦ ମୈଦାନରୁ ଆରମ୍ଭ ହେଉଛି। (ପରବର୍ତ୍ତୀ ସମୟରେ ଏହି ଶୋଭାଯାତ୍ରାକୁ ବାତିଲ କରାଯାଇଥିଲା କାରଣ ସହରାଞ୍ଚଳ ପ୍ରଶାସନ ଏଥିପାଇଁ ଅନୁମତି ଦେଇନଥିଲା।

ଜାନୁଆରୀ ୨୫ ତାରିଖ ଅପରାହ୍ଣ ପ୍ରାୟ ୪ଟା ସମୟରେ, ଚାଷୀମାନେ ଦକ୍ଷିଣ ମୁମ୍ବାଇରେ ଥିବା ରାଜ୍ୟପାଳଙ୍କ ବାସଭବନ, ରାଜଭବନ ଅଭିମୁଖେ ଚାଷୀମାନେ ସେମାନଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ମାତ୍ର ସେମାନଙ୍କୁ ଅନୁମତି ଦିଆଯାଇନଥିଲା, ସେମାନେ ପାଖାପାଖି ୫୦୦ ମିଟର ଚାଲିଥିଲେ ଏବଂ ମୈଦାନକୁ ଫେରିଆସିଥିଲେ।
ଅନୁବାଦ - ଓଡ଼ିଶାଲାଇଭ୍