‘‘ମୁଁ ମୋ ଦୁଇ ଝିଅଙ୍କ ପାଇଁ ଏକ ଭିନ୍ନ ଜୀବନ ଚାହୁଁଛି,’’ ଚାନ୍ଦୀ ମାଛ ଉପରେ ଗୋଟିଏ ପରସ୍ତ ଲୁଣ ଦାନା ଛିଞ୍ଚିବା ସମୟରେ ବିଶାଲାଚି କହୁଛନ୍ତି। ଏହି ୪୩ ବର୍ଷୀୟା ମହିଳା ଜଣଙ୍କ ତାମିଲନାଡ଼ୁ ଉପକୂଳର କୁଡ୍ଡାଲୋର ପୁରୁଣା ସହର ବନ୍ଦରଠାରେ ୨୦ ବର୍ଷରୁ ଅଧିକ ସମୟ ଧରି ଶୁଖୁଆ ପ୍ରସ୍ତୁତି କାମ କରୁଛନ୍ତି ।
ସେ କୁହନ୍ତି, ‘‘ମୁଁ ଏକ ଭୂମିହୀନ ଦଳିତ ପରିବାରରେ ଜନ୍ମ ନେଇଥିଲି। ଧାନ ଚାଷରେ ନିୟୋଜିତ ଥିବା ମୋର ମାତାପିତାଙ୍କୁ ପିଲାଟି ଦିନରୁ ସାହାଯ୍ୟ କରି ଆସୁଥିଲି। ସେମାନେ ଅଶିକ୍ଷିତ ଥିଲେ।’’ ବିଶାଲାଚି ମାତ୍ର ୧୫ ବର୍ଷ ବୟସରେ କୁଡ୍ଡାଲୋର ଜିଲ୍ଲା ଭୀମାରାଓ ନଗର ପଡ଼ାର ଶକ୍ତିଭେଲଙ୍କୁ ବାହା ହୋଇଥିଲେ। ବାହାଘରର ଦୁଇ ବର୍ଷ ପରେ ସେମାନଙ୍କର ପ୍ରଥମ ଝିଅ ଶାଲିନୀ ଜନ୍ମ ନେଇଥିଲା ।
ଭୀମାରାଓ ନଗରଠାରେ କୌଣସି କୃଷି କାର୍ଯ୍ୟ ନପାଇବାରୁ ବିଶାଲାଚି ଜୀବିକା ସନ୍ଧାନରେ କୁଡ୍ଡାଲୋର ପୁରୁଣା ସହର ବନ୍ଦରକୁ ଚାଲି ଆସିଥିଲେ । ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ କମଲାବେନୀଙ୍କୁ ଭେଟିଲେ ଯିଏକି ତାଙ୍କୁ ଶୁଖୁଆ ପ୍ରସ୍ତୁତ କରିବାର କୌଶଳ ଓ ବ୍ୟବସାୟ ଶିଖାଇଥିଲେ । ଆଉ ଏହି ବ୍ୟବସାୟକୁ ବିଶାଲାଚି ସବୁଦିନ ଆପଣେଇ ନେଇଥିଲେ।
ଖୋଲା ଆକାଶ ତଳେ ଶୁଖୁଆ ପ୍ରସ୍ତୁତ କରିବା ମାଛ ପ୍ରକ୍ରିୟାକରଣର ସବୁଠୁ ପୁରୁଣା ପଦ୍ଧତି ଏବଂ ଏଥିରେ ଲୁଣ ମଡ଼େଇବା, ଧୂଆଁ ଦେବା, ମସଲା ଲଗେଇବା ଆଦି କାର୍ଯ୍ୟ ସାମିଲ ରହିଛି। କୋଚିସ୍ଥିତ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ସାମୁଦ୍ରିକ ମତ୍ସ୍ୟଚାଷ ଗଣନା ୨୦୧୬ ଅନୁଯାୟୀ, କୁଡ୍ଡାଲୋର ଜିଲ୍ଲାର ୫,୦୦୦ରୁ ଅଧିକ ସକ୍ରିୟ ମହିଳା ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ମାଛ ଶୁଖାଇବା, ପ୍ରସ୍ତୁତି କରିବା ଓ ଛାଲିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
ସାରା ରାଜ୍ୟରେ, ଏହି ସଂଖ୍ୟା ଆହୁରି ଅଧିକ: ମତ୍ସ୍ୟପାଳନ ବିଭାଗର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ପ୍ରାୟ ୨.୬ ଲକ୍ଷ ମହିଳା ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ନିୟୋଜିତ ରହିଥିଲେ ।

ଖରାରେ ଶୁଖାଇବା ପାଇଁ ରଖିଥିବା ମାଛ ପାଖରେ ଛିଡ଼ା ହୋଇଛନ୍ତି ବିଶାଲାଚି । ଶୁଖୁଆ ପ୍ରସ୍ତୁତ କରିବା ମାଛ ପ୍ରକ୍ରିୟାକରଣର ସବୁଠୁ ପୁରୁଣା ପଦ୍ଧତି ଏବଂ ଏଥିରେ ଲୁଣ ମଡ଼େଇବା, ଧୂଆଁ ଦେବା, ମସଲା ଲଗେଇବା ଆଦି କାର୍ଯ୍ୟ ସାମିଲ ରହିଛି


ବାମ: ବିଶାଲାଚି ମାଛ ଉପରେ ଲୁଣ ଦାନା ଛିଞ୍ଚୁଛନ୍ତି। ମତ୍ସ୍ୟପାଳନ ବିଭାଗର ତଥ୍ୟ ଅନୁଯାୟୀ, ପ୍ରାୟ ୨.୬ ଲକ୍ଷ ମହିଳା (୨୦୨୦-୨୧ରେ) ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ନିୟୋଜିତ ରହିଥିଲେ। ଡାହାଣ: କୁଡ୍ଡାଲୋର ପୁରୁଣା ସହର ବନ୍ଦରରେ ମାଛ ଶୁଖା ହୋଇଛି
ଯେତେବେଳେ ସେ ଏହି କାମ ଆରମ୍ଭ କଲେ, ତାଙ୍କ ଗୁରୁ କମଲାବେନୀଙ୍କୁ ପ୍ରାୟ ୪୦ ବର୍ଷ ବୟସ ହୋଇଥିଲା ଏବଂ ସେ ମାଛ ନିଲାମୀ, ବିକ୍ରି ଓ ଶୁଖାଇବା ଭଳି କାମକୁ ନେଇ ଏକ ପ୍ରତିଷ୍ଠିତ ମାଛ ବ୍ୟବସାୟ କରୁଥିଲେ। ତାଙ୍କ ପାଖରେ ୨୦ ଜଣ ମହିଳା କର୍ମଚାରୀ ଥିଲେ ଏବଂ ବିଶାଲାଚି ଥିଲେ ସେମାନଙ୍କ ମଧ୍ୟରୁ ଜଣେ । ଏହି କାମ ପାଇଁ ଦୈନିକ ଖୁବ ପରିଶ୍ରମ କରିବାକୁ ପଡ଼ୁଥିଲା। ବିଶାଲାଚିଙ୍କୁ ଭୋର ୪ଟାରେ ବନ୍ଦରଠାରେ ପହଞ୍ଚିବାକୁ ପଡ଼ୁଥିଲା ଏବଂ ସେ ସନ୍ଧ୍ୟା ୬ଟାରେ ଘରକୁ ଫେରୁଥିଲେ । ତାଙ୍କୁ ଦୈନିକ ୨୦୦ ଟଙ୍କାର ମଜୁରି ମିଳୁଥିଲା। ଏଠାରେ ଶ୍ରମିକମାନଙ୍କୁ ସକାଳ ଜଳଖିଆ, ଚା’ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ସେ ସେହି ସମୟ କଥା ମନେ ପକେଇ କୁହନ୍ତି, ‘‘ଆମେ କମଲାବେନୀଙ୍କୁ ପସନ୍ଦ କରୁଥିଲୁ। ସେ ଦିନ ସାରା – ମାଛ ନିଲାମ ଡାକିବା, ବିକ୍ରି କରିବା କିମ୍ବା ଶ୍ରମିକମାନଙ୍କ ତଦାରଖ କରିବା ଭଳି କାମରେ ବ୍ୟସ୍ତ ରହୁଥିଲେ।’’
*****
୨୦୦୪ର ସୁନାମୀ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା ଏବଂ ବିଶାଲାଚିଙ୍କ ଜୀବନ ମଧ୍ୟ ବଦଳିଯାଇଥିଲା। ‘‘ସୁନାମୀ ପରେ ମୋର ଦିନ ମଜୁରି ୩୫୦ ଟଙ୍କାକୁ ବୃଦ୍ଧି ପାଇଥିଲା ଏବଂ ମାଛ ଉତ୍ପାଦନ ମଧ୍ୟ ବଢ଼ିଥିଲା।’’
ରିଙ୍ଗ ସିନ୍ ମାଛ ଧରା ପଦ୍ଧତିରେ ମତ୍ସ୍ୟପାଳନ କ୍ଷେତ୍ରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଲା, ଯାହାଫଳରେ ଅଧିକ ପରିମାଣରେ ମାଛ ଧରା ହୋଇଥିଲେ । ରିଙ୍ଗ ସିନ୍ ହେଉଛି ସାଧାରଣରେ ବ୍ୟବହାର କରାଯାଉଥିବା ମାଛ ଧରା ଗିୟର ଏବଂ ଏହାକୁ ଚାରିପାଖରୁ କିମ୍ବା ଘେରା କରି ଫିଙ୍ଗା ଯାଉଥିବା ଜାଲ ଆକାରରେ ଉପଯୋଗ କରାଯାଇଥାଏ। ମହୁରାଳୀ (ଆଙ୍କୋଭି), ମରୁଆ (ମେକେରଲ) ଏବଂ ଡିସ୍କୋ କବଲ (ଅଏଲ ସାର୍ଡାଇନ) ଭଳି ମାଛ ଧରିବା ପାଇଁ ଏହା ଅନୁକୂଳ। ୯୦ ଦଶକର ଶେଷ ଭାଗରେ ରିଙ୍ଗ୍ ସିନ୍ ପଦ୍ଧତି କୁଡ୍ଡାଲୋର ଜିଲ୍ଲାରେ ବିଶେଷ ଲୋକପ୍ରିୟ ହୋଇଥିଲା। ପଢ଼ନ୍ତୁ: ବେଣୀଙ୍କ କାହାଣୀ: ଜଣେ ସାହସୀ ମହିଳାଙ୍କ କାହାଣୀ
ବିଶାଲାଚି କୁହନ୍ତି, ‘‘ସେତେବେଳେ ଅଧିକ କାମ, ଅଧିକ ଲାଭ ଓ ଅଧିକ ମଜୁରି ମିଳୁଥିଲା’’। କମଲାବେନୀ ବାହାରକୁ କେଉଁଆଡ଼େ ଗଲେ ତାଙ୍କୁ ମାଛ ଶୁଖାଇବା ଶେଡ୍ର ଚାବି ଦେଇ ଯାଉଥିଲେ କାରଣ ସେ ତାଙ୍କର ଜଣେ ବିଶ୍ୱସ୍ତ ଶ୍ରମିକ ଥିଲେ। ‘‘ଆଦୌ ଛୁଟି ନଥିଲା, କିନ୍ତୁ ଆମକୁ ସମ୍ମାନ ମିଳୁଥିଲା,’’ ବିଶାଲାଚି କୁହନ୍ତି।
ମାଛ ଦର ବଢ଼ିବା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ମଧ୍ୟ ବଢ଼ିଯାଇଥିଲା। ଏହି ଦମ୍ପତିଙ୍କର ଦୁଇ ଝିଅ – ଶାଲିନୀ ଓ ସୌମ୍ୟା ଥିଲେ ଏବଂ ସେମାନେ ସ୍କୁଲ ଯାଉଥିଲେ। ତାଙ୍କ ସ୍ୱାମୀ ଶକ୍ତିଭେଲ୍ ଜଣେ ପାଣି ଟାଙ୍କି ଅପରେଟର ଭାବେ କାମ କରୁଥିଲେ, କିନ୍ତୁ ତାଙ୍କର ୩୦୦ ଟଙ୍କାର ଦିନ ମଜୁରି ଯଥେଷ୍ଟ ନଥିଲା। ଅଳ୍ପ ରୋଜଗାରରେ ଘର ଚଳାଇବା କଷ୍ଟକର ହୋଇଗଲା।

ସଦ୍ୟ କିଣିଥିବା ମାଛ ସହିତ ବିଶାଲାଚି ଏବଂ ତାଙ୍କର ଜଣେ ସହକର୍ମୀ । ସେ ଶ୍ରମିକମାନଙ୍କୁ ମଧ୍ୟାହ୍ନ ଭୋଜନ ଓ ଚା’ ସହିତ ୩୦୦ ଟଙ୍କାର ମଜୁରି ଦେଇଥାନ୍ତି

ବିଶାଲାଚି ନିକଟରେ କିଣିଥିବା ମାଛକୁ ପରଖୁଛନ୍ତି; ୩-୪ କିଲୋ ମାଛରେ ଗୋଟିଏ କିଲୋଗ୍ରାମ ଶୁଖୁଆ ପ୍ରସ୍ତୁତ ହୁଏ
ନିଜର ପରବର୍ତ୍ତୀ ପଦକ୍ଷେପ ବିଷୟରେ ସୂଚନା ଦେଇ ବିଶାଲାଚି କୁହନ୍ତି, ‘‘ମୁଁ ପ୍ରକୃତରେ କମଲାବେଣିଙ୍କୁ ପସନ୍ଦ କରୁଥିଲି । କିନ୍ତୁ ଲାଭ ଯେତିକି ହେଉ ପଛେ ମୁଁ କେବଳ ମୋର ଦିନ ମଜୁରି ହିଁ ପାଇପାରୁଥିଲି’’।
ତେଣୁ ଏହି ସମୟରେ, ବିଶାଲାଚି ନିଜେ ଶୁଖୁଆ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ନେଇ ମାଛ କିଣିଥିଲେ। ବାହାରକୁ ଯାଇଥିବା କମଲାବେନୀ ଯେତେବେଳେ ଜାଣିଲେ ଯେ ସେ ସ୍ୱାଧୀନ ହେବାକୁ ଚେଷ୍ଟା କରୁଛନ୍ତି, ସେ ତାଙ୍କୁ କାମରୁ ବାହାର କରିଦେଲେ। ସେ ୧୨ ବର୍ଷ ଧରି କମଲାବେନୀଙ୍କ ପାଖରେ କାମ କରୁଥିଲେ।
ଏବେ ତାଙ୍କ ଦୁଇ ଝିଅଙ୍କ ସ୍କୁଲ ଫି’ ବାବଦରେ ବର୍ଷକୁ ୬,୦୦୦ ଟଙ୍କା ସୁଦ୍ଧା ସେ ଦେଇପାରିଲେ ନାହିଁ । ପରିବାରକୁ ସଂଘର୍ଷ କରିବାକୁ ପଡ଼ିଲା।
ଗୋଟିଏ ମାସ ପରେ, ସେ ଜଣେ ମାଛ ବ୍ୟବସାୟୀ କୁପ୍ପମଣିକ୍କମଙ୍କୁ ଭେଟିଲେ ଯିଏକି ତାଙ୍କୁ ବନ୍ଦରକୁ ଫେରି ଆସିବା ପାଇଁ ପରାମର୍ଶ ଦେଲେ। ତାଙ୍କୁ ସେ ଗୋଟିଏ ଝୁଡ଼ି ମାଛ ଶୁଖାଇବାକୁ ଦେବା ସହିତ ନିଜ ଶେଡ୍ରେ ମାଗଣାରେ କିଛି ସ୍ଥାନ ଦେଲେ। କିନ୍ତୁ ରୋଜଗାର ଯଥେଷ୍ଟ ହେଉନଥିଲା।
୨୦୧୦ରେ ଏହି ବ୍ୟବସାୟକୁ ଆସିବା ଲାଗି ବିଶାଲାଚି ନିଷ୍ପତ୍ତି ନେଲେ। ସେ ଜଣେ ସ୍ଥାନୀୟ ଡଙ୍ଗା ମାଲିକଙ୍କଠାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦିନକୁ ୨,୦୦୦ ଟଙ୍କାରେ ମାଛ କିଣି ଏହି ବେଉସା ଆରମ୍ଭ କଲେ। ତାଙ୍କୁ ଆହୁରି କଷ୍ଟ କରିବାକୁ ହେଲା। ଭୋର ୩ଟାରେ ବନ୍ଦରକୁ ଆସି ମାଛ କିଣୁଥିଲେ, ଶୁଖାଉଥିଲେ ଏବଂ ବିକ୍ରି କରୁଥିଲେ। ତା’ପରେ ରାତି ୮ଟାରେ ଘରକୁ ଫେରୁଥିଲେ। ବିଶାଲାଚି ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଠାରୁ ୩୦,୦୦୦ ଟଙ୍କାର ଋଣ ନେଇଥିଲେ। ବାର୍ଷିକ ୪୦ ପ୍ରତିଶତ ସୁଧରେ ଦୁଇ ବର୍ଷ ମଧ୍ୟରେ ତାଙ୍କୁ ଏହି ଋଣ ପରିଶୋଧ କରିବାକୁ ଥିଲା। ଯଦିଓ ଏସଏଚଜିର ସୁଧ ଦର ଅଧିକ ଥିଲା, ତଥାପି ଘରୋଇ ସାହୁକାରଙ୍କଠାରୁ ସେମାନେ କମ୍ ସୁଧରେ ଋଣ ଦେଉଥିଲେ।
କୁପ୍ପମଣିକ୍କମଙ୍କ ସହିତ ମଧ୍ୟ ତାଙ୍କର ମତାନ୍ତର ଦେଖା ଦେଲା, ଯାହାଙ୍କ ଶେଡ୍କୁ ସେ ମାଛ ଶୁଖେଇବା ପାଇଁ ବ୍ୟବହାର କରୁଥିଲେ। ‘‘ଆର୍ଥିକ ମତପାର୍ଥକ୍ୟ ଦେଖା ଦେଇଥିଲା। ସେ ମୋତେ କେତେ ପରିମାଣରେ ସାହାଯ୍ୟ କରିଛନ୍ତି ସେ ସମ୍ପର୍କରେ ସବୁବେଳେ ମନେ ପକାଇ ଦେଉଥିଲେ,’’ ବିଶାଲାଚି କୁହନ୍ତି। ତା’ପରେ ସେ ମାଛ ଶୁଖାଇବା ପାଇଁ ମାସିକ ୧,୦୦୦ ଟଙ୍କା ଭଡ଼ାରେ ନିଜର ଏକ ଶେଡ୍ ନେବାକୁ ନିଷ୍ପତ୍ତି କଲେ ।


ବିଶାଲାଚି ଶୁଖୁଆ ସଂଗ୍ରହ କରିବା ଲାଗି ନିଜ ଶେଡରୁ ଏକ ବାକ୍ସ (ବାମ) ଆଣୁଛନ୍ତି। ମଧ୍ୟାହ୍ନ ଭୋଜନ ପରେ ଦୁଇ ଜଣ ଶ୍ରମିକଙ୍କ ସହିତ ବିଶ୍ରାମ ନେଉଛନ୍ତି। ୨୦୨୦ରେ ତାମିଲନାଡ଼ୁ ସରକାର ରିଙ୍ଗ ସିନ୍ ମାଛ ଧରା ଉପରେ କଟକଣା ଲାଗୁ କରିବା ପରେ ତାଙ୍କର ରୋଜଗାର ହଠାତ୍ କମିଗଲା ଏବଂ ସେ ନିଜ ଶ୍ରମିକମାନଙ୍କୁ ଛଟେଇ କରି ଦେଇଥିଲେ


ବାମ: ବିଶାଲାଚି ଏବଂ ତାଙ୍କର ସ୍ୱାମୀ ଶକ୍ତିଭେଲ (ଛିଡ଼ା ହୋଇଛନ୍ତି) ଏବଂ ଜଣେ ଶ୍ରମିକ ମାଛ ସଫା କରିବା ସହିତ ଶୁଖାଉଛନ୍ତି। ଡାହାଣ: ସନ୍ଧ୍ୟାର ଆଗମନ ସହିତ ଶକ୍ତିଭେଲ ଶୁଖୁଆ ତୋଳୁଛନ୍ତି
ନିଜେ ସ୍ୱାଧୀନ ଭାବେ ବ୍ୟବସାୟ ଆରମ୍ଭ କରିବା କାରଣରୁ ବିଶାଲାଚି ଆଖପାଖରେ ଥିବା ଲୋକମାନଙ୍କଠାରୁ ନିୟମିତ ଗାଳିମନ୍ଦର ଶିକାର ହେଉଥିଲେ। କୁଡ୍ଡାଲୋରରେ ସବୁଠୁ ପଛୁଆ ବର୍ଗ (ଏମବିସି) ଭାବେ ପରିଗଣିତ ହେଉଥିବା ପଟ୍ଟନାଭର ଏବଂ ପର୍ବତରାଜକୁଲମ ସମୁଦାୟର ଲୋକମାନେ ମାଛ ବ୍ୟବସାୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ବେଳେ ବିଶାଲାଚି ଦଳିତ ସମ୍ପ୍ରଦାୟର ଅଧିବାସୀ ଥିଲେ। ‘‘ମୋତେ ଏହି ବନ୍ଦରରେ କାମ କରିବା ଏବଂ ବ୍ୟବସାୟ ଚଳାଇବା ପାଇଁ ସୁଯୋଗ ଦେଇ ସେମାନେ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ବୋଲି ମତ୍ସ୍ୟଜୀବୀ ସମୁଦାୟର ଲୋକମାନେ ଭାବୁଥିଲେ। ତେଣୁ ସେମାନେ ଯାହାଇଚ୍ଛା ତାହା କହୁଥିଲେ ଓ ସେମାନଙ୍କ କଥା ମୋତେ ବାଧୁଥିଲା,’’ ବିଶାଲାଚି କୁହନ୍ତି।
ଯଦିଓ ସେ ଏକାକୀ ମାଛ ଶୁଖାଇବା ଆରମ୍ଭ କରିଥିଲେ, ତାଙ୍କ ସ୍ୱାମୀ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ। ବ୍ୟବସାୟ ବଢ଼ିବା ସହିତ, ବିଶାଲାଚି ଦୁଇ ଜଣ ମହିଳା ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲେ ଏବଂ ତାଙ୍କୁ ମଧ୍ୟାହ୍ନ ଭୋଜନ ଓ ଚା’ ସହିତ ଦିନକୁ ୩୦୦ ଟଙ୍କାର ମଜୁରି ଦେଇଥିଲେ। ଏହି ମହିଳାମାନେ ମାଛକୁ ପେକିଂ କରିବା ସହିତ ଶୁଖାଇବା କାମ କରୁଥିଲେ। ମାଛରେ ଲୁଣ ଦେବା ଏବଂ ଅନ୍ୟାନ୍ୟ କାମ କରିବାକୁ ସେ ଦିନକୁ ୩୦୦ ଟଙ୍କା ମଜୁରିରେ ଆଉ ଜଣେ ବାଳକକୁ ନିଯୁକ୍ତି ଦେଇଥିଲେ ।
ରିଙ୍ଗ ସିନ୍ ପଦ୍ଧତିରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କଠାରୁ ପ୍ରଚୁର ମାଛ ମିଳୁଥିବା କାରଣରୁ ବିଶାଲାଚି ଗୋଟିଏ ସପ୍ତାହରେ ୮,୦୦୦-୧୦,୦୦୦ ଟଙ୍କା ରୋଜଗାର କରିପାରୁଥିଲେ।
ସେ ତାଙ୍କର ସାନ ଝିଅ ସୌମ୍ୟାଙ୍କୁ ଏକ ନର୍ସିଂ କୋର୍ସରେ ନାମ ଲେଖାଇ ଦେଇଥିଲେ ଏବଂ ବଡ଼ ଝିଅ ଶାଲିନୀ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲା। ତାଙ୍କ ରୋଜଗାରରେ ସେମାନଙ୍କ ବାହାଘର ମଧ୍ୟ ସରି ଯାଇଥିଲା।
*****
ବିଶାଲାଚି ଓ ଅନ୍ୟମାନେ ରିଙ୍ଗ ସିନ୍ ମାଛଧରା କାରଣରୁ ଲାଭବାନ ହୋଇଥିଲେ। କିନ୍ତୁ ଏହି ପଦ୍ଧତି ମାଛ ବଂଶକୁ ମାରି ଦେଉଥିବା ପରିବେଶବିତ୍ ଓ ବୈଜ୍ଞାନିକମାନେ ଅଭିଯୋଗ କରିଥିଲେ। ଏହି ପଦ୍ଧତିକୁ ବନ୍ଦ କରିବା ଲାଗି ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଲା। ରିଙ୍ଗ ସିନ୍ ପଦ୍ଧତିରେ ବ୍ୟବହାର କରାଯାଉଥିବା ସିନ୍ ଜାଲଗୁଡ଼ିକୁ ଯଦିଓ ୨୦୦୦ ମସିହାଠାରୁ ବେଆଇନ ବୋଲି ଘୋଷଣା କରାଯାଇଥିଲା, ତଥାପି ତାମିଲନାଡ଼ୁ ସରକାର ମାଛ ଧରିବା ପାଇଁ ବଡ଼ ଜାଲ ବ୍ୟବହାର ଉପରେ ୨୦୨୦ ରେ କଟକଣା ଜାରି ନକରିବା ପର୍ଯ୍ୟନ୍ତ ଏହି ଆଇନ କଡ଼ାକଡ଼ି ଭାବେ ଲାଗୁ ହୋଇନଥିଲା।

ବିଶାଲାଚି ଲୁଣ ଦିଆ ମାଛଗୁଡ଼ିକୁ ଶୁଖାଇବା ସ୍ଥାନକୁ ନେବା ପାଇଁ ଏକ ବାକ୍ସରେ ଭର୍ତ୍ତି କରୁଛନ୍ତି

ମାଛରେ ଲୁଣ ଦେବାକୁ ବିଶାଲାଚି ଙ୍କୁ ଜଣେ ବାଳକ ସାହାଯ୍ୟ କରୁଛି
‘‘ଆମେ ସମସ୍ତେ ଭଲ ରୋଜଗାର କରିଥିଲୁ। କିନ୍ତୁ ଏବେ ଅଳ୍ପରେ ବଞ୍ଚିବାକୁ ପଡ଼ୁଛି। ଯେତିକି ରୋଜଗାର ହେଉଛି ତାହା କେବଳ ଆମର ପେଟ ପୂରିବାକୁ ଯଥେଷ୍ଟ ହେଉଛି,’’ ବିଶାଲାଚି କହିଥାନ୍ତି। ଏହି କଟକଣା ଯୋଗୁଁ କେବଳ ତାଙ୍କର କ୍ଷତି ହୋଇନଥିଲା ବରଂ ଏକ ବଡ଼ ମତ୍ସ୍ୟଜୀବୀ ସମୁଦାୟ କ୍ଷତି ସହିଥିଲେ। ସେ ଆଉ ରିଙ୍ଗ ସିନ୍ ଡଙ୍ଗା ମାଲିକଙ୍କଠାରୁ ମାଛ କିଣିପାରିଲେ ନାହିଁ ଯେଉଁମାନେ ତାଙ୍କୁ ନଷ୍ଟ ହୋଇଯାଇଥିବା ଏବଂ ବଳକା ମାଛକୁ କମ୍ ଦରରେ ବିକ୍ରି କରି ଦେଉଥିଲେ ।
ଏହା ପରିବର୍ତ୍ତେ, ବିଶାଲାଚି ଅଧିକ ଦାମ୍ ଦେଇ ଟ୍ରଲର ଡଙ୍ଗାରୁ ମାଛ କିଣିଲେ। ଏବେ ଏମାନେ ହିଁ ତାଙ୍କ ପାଇଁ ମାଛ ପାଇବାର ଏକ ମାତ୍ର ମାଧ୍ୟମ ପାଲଟିଗଲେ । ମାଛଙ୍କ ପ୍ରଜନନ ଋତୁରେ, ଏପ୍ରିଲ-ଜୁନ ମାସ ମଧ୍ୟରେ ଟ୍ରଲର ଡଙ୍ଗାରେ ମାଛ ମାରିବା ବନ୍ଦ ରହିଥାଏ । ଏହି ସମୟରେ ବିଶାଲାଚି ଆହୁରି ଅଧିକ ଟଙ୍କା ଦେଇ ଫାଇବର ଡଙ୍ଗାରୁ ମାଛ କିଣିଥାନ୍ତି।
ଭଲ ଦିନରେ ଯଥେଷ୍ଟ ମାଛ ମିଳିଲେ ସେ ସପ୍ତାହକୁ ୪,୦୦୦-୫,୦୦୦ ଟଙ୍କା ରୋଜଗାର କରିଥାନ୍ତି। ସେ ଶସ୍ତାରେ ମିଳୁଥିବା ଚାନ୍ଦୀ (କରାଇ) ଏବଂ ଟ୍ରେଭାଲ୍ଲୀ (ପାରେଇ) ଭଳି ମାଛ ଶୁଖାଇବା କାମ ସେ କରିଥାନ୍ତି। ଚାନ୍ଦୀ ଶୁଖୁଆ କିଲୋ ପ୍ରତି ୧୫୦-୨୦୦ ଟଙ୍କାରେ ବିରି ହେଉଥିବା ବେଳେ ଟ୍ରେଭାଲ୍ଲୀ ୨୦୦-୩୦୦ ଟଙ୍କାରେ ବିକ୍ରି ହୁଏ। ବିଶାଲାଚି ଗୋଟିଏ କିଲୋଗ୍ରାମ ଶୁଖୁଆ ପାଇବାକୁ ୩-୪ କିଲୋ ମାଛ କିଣନ୍ତି। ଚାନ୍ଦୀ ଓ ଟ୍ରେଭାଲ୍ଲୀ ମାଛ ଦାମ୍ କିଲୋପ୍ରତି ଯଥାକ୍ରମେ ୩୦ରୁ ୭୦ ଟଙ୍କା ହୋଇଥାଏ।
‘‘ଯାହାକୁ ଆମେ ୧୨୦ ଟଙ୍କାରେ କିଣୁ, ତା’କୁ ୧୫୦ ଟଙ୍କାରେ ବିକ୍ରି କରିଥାଉ, କିନ୍ତୁ ଏହା ବଜାରକୁ କେତେ ପରିମାଣରେ ଶୁଖୁଆ ଆସୁଛି ତାହା ଉପରେ ନିର୍ଭର କରିଥାଏ। ଦିନେ ଦିନେ ଆମର ରୋଜଗାର ହୁଏ ଏବଂ ଅନ୍ୟମାନେ କ୍ଷତି ସହିଥାନ୍ତି,’’ ନିଜ ପରିସ୍ଥିତି ବିଷୟରେ ସେ କୁହନ୍ତି।
ସପ୍ତାହକୁ ଥରେ ସେ ଶୁଖୁଆ ବଜାରକୁ ଶୁଖୁଆ ନେଇଯିବା ଲାଗି ଗୋଟିଏ ଗାଡ଼ି ଭଡ଼ାରେ ଆଣିଥାନ୍ତି । କୁଡ୍ଡାଲୋରରେ ଗୋଟିଏ ଶୁଖୁଆ ବଜାର ଥିବା ବେଳେ ଅନ୍ୟଗୁଡ଼ିକ ନିକଟସ୍ଥ ନଗପଟ୍ଟିନମ୍ ଜିଲ୍ଲାରେ ରହିଛି । ଗୋଟିଏ ବାକ୍ସ ଶୁଖୁଆର ଓଜନ ୩୦ କିଲୋଗ୍ରାମ ହୋଇଥାଏ ଏବଂ ଏହାକୁ ପରିବହନ କରିବା ଲାଗି ୨୦ ଟଙ୍କା ଲାଗିଥାଏ। ସେ ମାସକୁ ୨୦ ବାକ୍ସ ବିକ୍ରି କରିବାକୁ ଚେଷ୍ଟା କରିଥାନ୍ତି।


ବିଶାଲାଚି ଦିନ ସାରା କାମ କରିବା ପରେ ତାଙ୍କ ଘରେ ଆରାମ କରୁଛନ୍ତି। ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଥିବା କାରଣରୁ ତାଙ୍କୁ ଖୁବ୍ କମ୍ ସମୟ ପାଇଁ ଫୁରସତ ମିଳିଥାଏ


ବିଶାଲାଚି ଏବଂ ଶକ୍ତିଭେଲ ସେମାନଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି (ଡାହାଣ) ଶକ୍ତିଭେଲ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି। ଦୁଇ ଝିଅଙ୍କୁ ପାଠପଢ଼ାଇ ବାହାଘର କରାଇ ଦେଇଥିବାରୁ ବିଶାଲାଚି ଖୁସି ଅଛନ୍ତି। ହେଲେ ତାଙ୍କ ଉପରେ ଏବେ ଋଣ ବୋଝ ବଢ଼ିଚାଲିଛି
ରିଙ୍ଗ ସିନ୍ ମାଛ ଧରା ଉପରେ କଟକଣା ଲାଗୁ ହେବା କାରଣରୁ ମାଛ ଦାମ୍ ବୃଦ୍ଧି ପାଇଛି। ଏଥିସହିତ ଲୁଣ ଦାମ, ପରିବହନ ଓ ମାଛ ବାକ୍ସ ଦାମ ମଧ୍ୟ ବଢ଼ିଛି। ଏସବୁ କାରଣରୁ ବିଶାଲାଚିଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି । ସେହିପରି ପୂର୍ବରୁ ସେ ଶ୍ରମିକମାନଙ୍କୁ ୩୦୦ ଟଙ୍କା ଦେଉଥିବା ବେଳେ ଏବେ ୩୫୦ ଟଙ୍କା ଦେଉଛନ୍ତି ।
ଇତିମଧ୍ୟରେ, ଶୁଖୁଆ ଦାମ୍ କିନ୍ତୁ ସେହି ଅନୁଯାୟୀ ବଢ଼ିନାହିଁ । ଏହି କାରଣରୁ ଏପ୍ରିଲ ୨୦୨୨ ସୁଦ୍ଧା ବିଶାଲାଚିଙ୍କ ମୁଣ୍ଡ ଉପରେ ଥିବା ଋଣ ବୋଝ ୮୦,୦୦୦ ଟଙ୍କାରେ ପହଞ୍ଚିଛି। ଡଙ୍ଗା ମାଲିକଙ୍କୁ ସତେଜ ମାଛ ପାଇଁ ଦେବାକୁ ଥିବା ୬୦,୦୦୦ ଟଙ୍କା ଏବଂ ଏକ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ଆଣିଥିବା ଋଣ ଏଥିରେ ସାମିଲ ଅଛି ।
ଅଗଷ୍ଟ ୨୦୨୨ ବେଳକୁ ବିଶାଲାଚି ଶ୍ରମିକମାନଙ୍କୁ ଛଟେଇ କରି ଦେଇଥିଲେ ଏବଂ ତାଙ୍କ ବ୍ୟବସାୟକୁ କମାଇ ଦେଇଥିଲେ। ‘‘ଏବେ ମୁଁ ନିଜେ ମାଛରେ ଲୁଣ ଦେଉଛି। ମୋ ସ୍ୱାମା ଏବଂ ମୁଁ ପ୍ରାୟତଃ ବ୍ୟବସାୟ ଚଳାଉଛୁ । କେବେ କେବେ ଆଉ କାହାର ସାହାଯ୍ୟ ନେଉଛୁ । ଦୈନିକ ଆମକୁ ମାତ୍ର ୪ ଘଣ୍ଟା ବିଶ୍ରାମ ମିଳୁଛି,’’ ସେ କୁହନ୍ତି ।
ବିଶାଲାଚିଙ୍କ ପାଇଁ ଏକମାତ୍ର ସାନ୍ତ୍ୱନା ହେଉଛି ସେ ତାଙ୍କ ଝିଅମାନଙ୍କୁ – ଶାଲିନୀ (୨୬) ଏବଂ ସୌମ୍ୟା (୨୩)ଙ୍କୁ ପାଠପଢ଼ାଇ ବାହାଘର କରେଇ ପାରିଛନ୍ତି । କିନ୍ତୁ ନିକଟରେ ତାଙ୍କ ଭାଗ୍ୟରେ ଆସିଥିବା ଅଧୋଗତିକୁ ନେଇ ସେ ଚିନ୍ତିତ ହୋଇପଡ଼ିଛନ୍ତି।
‘‘ଏବେ ଏକ ସଙ୍କଟ ପଡ଼ିଛି ଏବଂ ମୁଁ ଗଭୀର ଋଣ ବୋଝରେ ପଡ଼ିଛି,’’ ସେ କୁହନ୍ତି।
ଜାନୁଆରୀ ୨୦୨୩ରେ ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ନିୟମ ଓ ସର୍ତ୍ତକୁ ପାଳନ କରି ସୀମିତ ପରିମାଣରେ ସିନ୍ ପଦ୍ଧତିରେ ମାଛ ଧରିବାକୁ ଅନୁମତି ଦେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ତାଙ୍କର ସୌଭାଗ୍ୟ ଫେରିବ କି ନାହିଁ ତାହା ଉପରେ ବିଶାଲାଚିଙ୍କର ସନ୍ଦେହ ରହିଛି
ଭିଡିଓ ଦେଖନ୍ତୁ : କୁଡ୍ଡାଲୋର ମାଛ ଧରା ବନ୍ଦରରେ ମହିଳାମାନେ ବିଭିନ୍ନ ପ୍ରକାର କାମ କରୁଛନ୍ତି
ୟୁ. ଦିବ୍ୟାୟୁଧିରନଙ୍କ ସହାୟତାରେ ପ୍ରସ୍ତୁତ
ଅନୁବାଦ : ଓଡ଼ିଶାଲାଇଭ୍